ପଞ୍ଚାୟତ ପରୀକ୍ଷା : ଝାରସୁଗୁଡାରେ କେଉଁ ଦଳ ‘ଝଡ’ ସୃଷ୍ଟି କରିବ ?

0 91

- Advertisement -

ଝାରସୁଗୁଡା: ପଂଚାୟତ ନିର୍ବାଚନ ଫଳାଫଳରେ କିଏ ଚିତପଟାଙ୍ଗ ମାରିବ ଏବଂ କେଉଁ ରାଜନୀତିକ ଦଳ ଝାରସୁଗୁଡାରେ ଝଡ ସୃଷ୍ଟି କରିବ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ଫୁଲ ଦମରେ ରାଜନୀତିକ ଦଳ ପ୍ରତିପକ୍ଷର ଦୁର୍ବଳ ଜାଗାକୁ ନିଜ କବଜରେ ନେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ୨୦୧୭ ଭଳି ଚଳିତଥର କଂଗ୍ରେସ ଜିଲ୍ଲାର ବାଜିଗର ହେବ କି ନାହିଁ ତାହା ଏବେ ବଡ ପ୍ରଶ୍ନ ।

କାରଣ ୨୦୧୭ରେ କଂଗ୍ରେସର ନେତୃତ୍ୱ ନେଉଥିବା ନବ ଦାସ ଏବେ ବିଜେଡି ନେତା । ୨୦୧୭ରେ ଜିଲ୍ଲାରେ ବିଜେଡି ଏଠାରେ ରେସରୁ ଆଉଟ ହୋଇଥିବା ବେଳେ କଂଗ୍ରେସ ୮ଟି ଜିଲ୍ଲା ପରିଷଦ ଆସନରେ ହାତ ଟେକିଥିବା ବେଳେ ବିଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା । କିନ୍ତୁ ନିର୍ବାଚନ ବେଳେ ଦଳର ଛାମୁଆ ନେତା କିଶୋର ପଟେଲଙ୍କ ବିୟୋଗ ଘଟିଥିବାରୁ ନବ ଏବଂ କିଶୋରଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି ବୋଲି କୁହାଯାଉଛିା

କଣ ଥିଲା ୨୦୧୭ ନିର୍ବାଚନ ଫଳାଫଳ ?

  • ଜିଲ୍ଲାରେ ମୋଟ୍ ୯ଟି ଜିଲ୍ଲା ପରିଷଦ ଜୋନ୍ ରହିଛି ।
  • କଂଗ୍ରେସ ୮ଟି ଆସନରେ ବିଜୟୀ ହୋଇଥିଲା ।
  • ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିଲା ।
  • ନବ ଦାସଙ୍କ ନେତୃତ୍ୱରେ ଝାରସୁଗୁଡାରେ କଂଗ୍ରେସ ବିଜୟୀ ବାନା ଉଡାଇଥିିଲାା

ବଦଳିଯାଇଛି ସମୀକରଣ

୨୦୧୯ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ ନବ ଦାସ । ନବଙ୍କ ସହିତ ୫ ଜିଲ୍ଲା ପରିଷଦ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ । ଏକଦା ବିଜେଡି ପାଇଁ ଅଛୁଆଁ ଥିବା ଝାରସୁଗୁଡାରେ ଦଳ ନବଙ୍କ ଜରିଆରେ ଆଗକୁ ବଢିଲା । ତେଣୁ ଚଳିତଥର ବିଧାୟକ ତଥା ମନ୍ତ୍ରୀ ନବଙ୍କ ନେତୃତ୍ୱରେ ବିଜେଡି ଏଠାରେ କ୍ଲିନ୍ ସୁଇପ୍ କରିବ ବୋଲି ଲକ୍ଷ୍ୟ ରଖିଛି ।

- Advertisement -

କିଶୋର ପଟେଲଙ୍କ ସମର୍ଥକ ବିଜେଡି ପାଇଁ କଣ୍ଟା ହେବେ କି ?

ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କର ଦେହାନ୍ତ ହୋଇଛି । ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହେଉ ହେଉ କିଶୋରଙ୍କ ପରଲୋକ ତାଙ୍କ ସମର୍ଥକଙ୍କୁ ବେଶ୍ ଆଘାତ ଦେଇଛି । କିଶୋରଙ୍କ ଅନୁପସ୍ଥିତିରେ ତାଙ୍କର ଅନେକ ସମର୍ଥକ ଟିକେଟ୍ ପାଇବାରୁ ବଂଚିତ ହୋଇଥିବା ଚର୍ଚ୍ଚା ହେଉଛି । ଆଉ ଜିଲ୍ଲାରେ ନବ ଦାସଙ୍କ ପତିଆରା ବଢିଛି । ତେଣୁ ପତିଆରା ଲଢେଇ ଭିତରେ ଯଦି ଦଳୀୟ ସମର୍ଥକ ଭିତରେ ଭିତରେ ବିଦ୍ରୋହୀ ସାଜିବେ ତାହେଲେ ପ୍ରତିପକ୍ଷ ଦଳକୁ ସୁହାଇବା ସମ୍ଭାବନା ଅଧିକ ।

ଟଙ୍କଧରଙ୍କ ନେତୃତ୍ୱରେ ଆଗେଇବ ବିଜେପି ?

ଝାରସୁଗୁଡାରେ ବିଜେପିର ପ୍ରମୁଖ ନେତା ହେଉଛନ୍ତି ଟଙ୍କଧର ତ୍ରିପାଠୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ କୁହାଯାଉଥିବା ଏହି ଯୁବ ନେତା ଚଳିତ ପଂଚାୟତ ନିର୍ବାଚନରେ ୨୦୧୭ ତୁଳନାରେ ଦଳକୁ ଅଧିକ ସଫଳ କରାଇବେ ବୋଲି ଆଶାବାଦୀ ରହିଛନ୍ତି । ଜିଲ୍ଲାରେ କିଶୋରଙ୍କ ଅନୁଗତକୁ ନିଜ ପଟକୁ ଆଣି ଶାସକ ଦଳକୁ ରାଜନୀତିର ପଶାପାଲିରେ ଚେକ୍ ଦେଇପାରନ୍ତି ଏହି ନେତା । କିନ୍ତୁ ବରଗଡର କିଛି ଅଂଶ ଝାରସୁଗୁଡା ନିର୍ବାଚନମଣ୍ଡଳୀରେ ରହିଛି । ତେଣୁ ବରଗଡ ସାଂସଦ ସୁରେଶ ପୂଜାରୀଙ୍କ ସହିତ ପତିଆରା ଲଢେଇ କରିବାକୁ ଯାଇ ବିଜେପି ବ୍ୟାକଫୁଟକୁ ଠେଲି ହୋଇଯିବନି ତ?

କଂଗ୍ରେସ ‘ହାତ’ ଟେକିପାରିବ ତ?

ନବ ଦାସ ଦଳ ପରିବର୍ତନ କରିବା ପରେ ଜିଲ୍ଲାରେ କଂଗ୍ରେସର ପତିଆରା ବହୁତ କମିଛି । ନବଙ୍କ ସହିତ ତାଙ୍କ ସମର୍ଥକମାନେ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ତେଣୁ ଯେଉଁ ଅଳ୍ପ କିଛି ନେତାରହିଛନ୍ତି ସେମାନଙ୍କର ପ୍ରଭାବ ସେତେଟା ନାହିଁ ତେଣୁ ଚଳିତଥର କଂଗ୍ରେସ ନିଜ ଗଡରେ ସମ୍ମାନ ରଖିପାରୁଛି କି ନାହିଁ ତାହା ଏବେ ବଡ ପ୍ରଶ୍ନ ?

Leave A Reply

Your email address will not be published.